ଭାର୍ଗବୀ ନଦୀରୁ ମାଫିଆ ଲୁଟୁଛନ୍ତି ଶହଶହ ଟ୍ରିପ ବାଲି
କୁମ୍ଭ ନିଦ୍ରାରେ ଲଘୁଖଣିଜ ବିଭାଗ
ଭୁବନେଶ୍ଵର:ବାଲିଅନ୍ତା ତହସିଲ ଓ ପିପିଲି ତହସିଲ ସୀମାବର୍ତ୍ତୀ ଅଞ୍ଚଳ ବାଳକାଟି ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିନ ଭାର୍ଗବୀ ନଦୀରୁ ଦିନରାତି ବେଆଇନ ବାଲି ଖନନ କରୁଛନ୍ତି ବାଲି ମାଫିଆ ମାନେ।ଦୈନିକ ଶହ ଶହ ଟ୍ରାକ୍ଟର ଓ ହାଇୱା ଦ୍ୱାରା ବାଲି ଚାଲାଣ ହେଉଥିଲେ ମଧ୍ୟ ଲଘୁଖଣିଜ ବିଭାଗ, ଫାଣ୍ଡି ପୁଲିସ ଏବଂ ତହସିଲ ପ୍ରଶାସନ ଆଖିବୁଜି ବସିପଡିଛନ୍ତି। ଫଳରେ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଛି। କାହା ପ୍ରୋତ୍ସାହନରେ ଏଭଳି ବେଆଇନ ବାଲି ଖନନ କରୁଛନ୍ତି ମାଫିଆ ମାନେ ତାହା ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେହିପରି ବାଲି ଖନନ ଠାରୁ ବାଳକାଟି ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଖୁବ ନିକଟରେ ହୋଇଥିଲେ ମଧ୍ୟ ଅନ୍ୟାୟସରେ ବାଲି ଚୋରୀ କରୁଛନ୍ତି ମାଫିଆ ମାନେ। ପ୍ରକାଶଥାଉକି ପିପିଲି ତହସିଲ ଅଧିନ ଉତ୍ତରା , ପୁବାଶାସନ, ପାଟଳିକୁଦା ଏବଂ ବାଲିଅନ୍ତା ତହସିଲ ଅଧିନ ପ୍ରତାପଶାସନ ମୌଜା ପରିସରରେ ଥିବା ଭାର୍ଗବୀ ନଦୀରୁ ଦିନରାତି ତମାମ ବାଲି ଲୁଟୁଛନ୍ତି ମାଫିଆ ମାନେ। ଗତ ୧0 ଦିନ ମଧ୍ୟରେ ଏହି ମାଫିଆ ମାନେ ଉପରୋକ୍ତ ସ୍ଥାନର ନଦୀ ଶଯ୍ୟାରୁ ବାଲି ଏଭଳି ଚୋରୀ କରିଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି। ପ୍ରାୟ ୨ /୩ ଏକର ପରିମିତ ବିଶିଷ୍ଟ ଏରିଆରୁ ବାଲି ଲୁଟିଛନ୍ତି।ସେହିପରି କିଛି ମାଫିଆ ମାନେ ରାତିରେ ଡ୍ରୋଜର ଲଗାଇ ଶହ ଶହ ହାଇୱା ଓ ଟ୍ରାକ୍ଟରରେ ବାଲି ବୋହୁଥିବା ଦେଖାଯାଇଛି।ଏହି ମାଫିଆ ମାନେ ବାଲି ଚୋରୀ କରି ଏହି ନଦୀର ପଠାରେ ଗଦା କରୁଛନ୍ତି। ପରେ ଏହାକୁ ଚଢାଦରରେ ବିକ୍ରୀ କରୁଛନ୍ତି।ପୁବାଶାସନ ଇଟାଭାଟି, ପାଟଳିକୁଦା ଇଟାଭାଟି ନିକଟରେ ଏହି ବାଲି ଗଦା ହୋଇଥିବା ଦେଖିବାକୁ ମିଳିଛି। ବର୍ତମାନ ଆଖପାଖ ଅଞ୍ଚଳରେ ବାଲି ନିଲାମୀ ହୋଇନଥିବା ବେଳେ ମାଫିଆ ମାନଙ୍କୁ ଏଭଳି ଲୁଟ କରିବାରେ ଯଥେଷ୍ଟ ସୁବିଧା ହେଉଛି। ସେହିପରି ମାଫିଆ ମାନେ ବାଲି ଲୁଟି ନଦୀଶଯ୍ୟାକୁ ଗଭୀର କରୁଥିବା ଦେଖାଯାଇଛି।ଏହାଦ୍ୱାରା ଅତୀତ ଭବିଷ୍ୟତରେ ବହୁ ଲୋକଙ୍କ ମୂଲ୍ୟବାନ ଜୀବନ ଯାଇଛି।ଲଘୁଖଣିଜ ବିଭାଗର ଆନ୍ତରିକତା ଅଭାବ ଓ ଦାୟିତ୍ୱହୀନତା ଯୋଗୁଁ ଏଭଳି ବାରମ୍ବାର ଚୋରୀ ହେଉଥିବା ଅଭିଯୋଗ ହୋଇଛି। ସେହିପରି ଗତ ୪ ମାସ ତଳେ ଦୟାନଦୀରୁ ବାଲି ଚୋରୀ ହେଉଥିବା ବେଳେ ଲଘୁଖଣିଜ ବିଭାଗ ଓ କମିସନରେଟ ପୁଲିସ ମିଳିତ ଚଢାଉ କରି ବାଲି ସିଜ କରିଥିଲେ।ମାତ୍ର ଭାର୍ଗବୀ ନଦୀରୁ ଦୀର୍ଘଦିନ ଧରି ଏଭଳି ବାଲି ଚୋରୀ ହୋଇଥିଲେ ମଧ୍ୟ ଖଣିଜ ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେହିପରି ସରକାର ରାଜ୍ୟରେ ଲଘୁଖଣିଜ ସମ୍ପତିର ରକ୍ଷଣାବେକ୍ଷଣା ଓ ତଦାରଖ ତହସିଲ ପ୍ରଶାସନ ଉପରୁ ହଟାଇବା ପରେ ବାଲି/ମାଟି ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି।ଏହାର ଭରପୁର ଫାଇଦା ନେଉଛନ୍ତି ଏହି ମାଫିଆ ମାନେ। ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ରାଜସ୍ୱ କ୍ଷତି ହେଉଛି। ଏଥିପ୍ରତି ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହୋଇଛି।
