ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି, ୧୨ଟାରୁ ଆରମ୍ଭ ହୋଇ ପହଣ୍ଡି ୪ଟାରେ ସରିଲା
ବାଲିଅନ୍ତା,୨୪/୪(ଇମିସ):ବାଲିଅନ୍ତା ବ୍ଲକ ଅଧୀନ ଗଡ଼ କଣ୍ଟୁଣିଆ, ହୀରାପୁର ସ୍ଥିତ ସୁଦର୍ଶନ ଦେବଙ୍କ ପୀଠରେ ଗତ ୧୯ ତାରିଖରୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିଗ୍ରହ ପ୍ରତିଷ୍ଠା ନେଇ ଚାଲିଥିବା ଯଜ୍ଞ ଓ ପୂଜା ନୀତିକାନ୍ତି ଆଜି ସମାହିତ ହୋଇଛି। ମଧ୍ୟାହ୍ନ ୧୨ଟାରୁ ପହଣ୍ଡି ଆରମ୍ଭ କରାଯାଇଥିଲା। ପ୍ରଥମେ ବିଭିନ୍ନ ପାର୍ଶ୍ବ ଦେବାଦେବୀ , ଓ ନବଗ୍ରହଙ୍କୁ ଗୋଟି ପହଣ୍ଡିରେ ନିଆଯାଇଥିଲା। ଏହାପରେ ଅଗ୍ରପୂଜ୍ୟ ଗଣେସ ଏବଂ ତା’ ପରେ ବିମଳ, ଲକ୍ଷ୍ମୀ ନୃସିଂହ ନାଥ ଏବଂ ଏହାପରେ ମା‘ ଲକ୍ଷୀ ଏବଂ ଦ୍ବାରପାଳ ଜୟ ବିଜୟଙ୍କୁ ଗୋଟି ପହଣ୍ଡି କରି ମନ୍ଦିର ସିଂହାସନରେ ଉପବିଷ୍ଟ କରାଯାଇଥିଊା। ଅପରାହ୍ନ ୩ଟାରେ ଚତୁର୍ଦ୍ଧା ମୂର୍ତ୍ତି ବିଗ୍ରହମାନଙ୍କ ମଧ୍ୟରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଯଥାକ୍ରମେ ଦେବୀ ସୁଭଦ୍ରା,ବଳଭଦ୍ର ଓ କାଳିଆ ଠାକୁର ଜଗନ୍ନାଥଙ୍କ ବିଗ୍ରହକୁ ଗୋଟି ପହଣ୍ଡି କରି ୧୩ ଫୁଟ ଲମ୍ବ ଏବଂ ୩ ଫୁଟ ଉଚ୍ଚତା ବିଶିଷ୍ଟ ସିଂହାସନକୁ ନିଆଯାଇଥିଲା। ଅପରାହ୍ନ ୪ଟା ପର୍ଯ୍ୟନ୍ତ ପହଣ୍ଡି ଚାଲିଥିଲା। ଆଜି ଯଜ୍ଞ ପୂର୍ଣ୍ଣାହୁତି ଓ ବିଗ୍ରହମାନଙ୍କର ମନ୍ଦିର ପ୍ରବେଶ ଥିବାରୁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା। ଘଣ୍ଟ ଘଣ୍ଟି ଓ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ବନିରେ ମନ୍ଦିର ପରିସର ଉଛୁଳି ପଡ଼ିଥିଲା। ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପଣା ଓ ଦହି ସରବତ ବଣ୍ଟନ କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀ ଜୀଉମାନଙ୍କୁ ଦର୍ଶନ କରିଥିଲେ। ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ରାତି ତମାମ ଭକ୍ତି ସଙ୍ଗୀତ ଓ ଗୀତଗୋବିନ୍ଦ ପରିବେଶଷ ହୋଇଥିଲା।
