ଦେବସ୍ନାନ ପୂର୍ଣ୍ଣିମା ପରେ ଆଳାରନାଥ ମନ୍ଦିରରେ ଭକ୍ତଙ୍କ ସମାଗମ ବୃଦ୍ଧି ପରିପ୍ରେକ୍ଷୀରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ

ଦେବସ୍ନାନ ପୂର୍ଣ୍ଣିମା ପରେ ଆଳାରନାଥ ମନ୍ଦିରରେ ଭକ୍ତଙ୍କ ସମାଗମ ବୃଦ୍ଧି ପରିପ୍ରେକ୍ଷୀରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜିପି ଡଃ ସତ୍ୟଜିତ ନାଏକ

ବ୍ରହ୍ମଗିରି, ପୁରୀ | ଜୁନ୍ ୩୦, ୨୦୨୬

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ନୀତି ସମାପ୍ତ ହେବା ପରେ ବର୍ତ୍ତମାନ ମହାପ୍ରଭୁ ଅଣସରରେ ଅସୁସ୍ଥ ଅବସ୍ଥାରେ ବିରାଜମାନ ଅଛନ୍ତି। ଏହି ସମୟରେ ଶାସ୍ତ୍ର ଅନୁଯାୟୀ ଅଲାରନାଥ ମନ୍ଦିରରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟ ଲାଭ ହୁଏ ବୋଲି ବିଶ୍ୱାସ ରହିଛି। ଏହି ପବିତ୍ର ଅବସରରେ ଆଜି ହଜାର ହଜାର ଭକ୍ତ ଅଲାରନାଥ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପରେ ଅନବସର ସମୟରେ ପ୍ରଭୁ ଆଳାରନାଥଙ୍କ ଦର୍ଶନ ପାଇଁ ବ୍ରହ୍ମଗିରିସ୍ଥିତ ଶ୍ରୀ ଆଳାରନାଥ ମନ୍ଦିରକୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାଞ୍ଚଳ, ଓଡ଼ିଶାର ଆଇଜିପି ଡଃ ସତ୍ୟଜିତ ନାଏକ, ଆଇପିଏସ୍ ଆଜି ମନ୍ଦିର ପରିଦର୍ଶନ କରି ସୁରକ୍ଷା, ଟ୍ରାଫିକ୍, ଭିଡ଼ ନିୟନ୍ତ୍ରଣ ଓ ସାମଗ୍ରିକ ପୋଲିସ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

ପରିଦର୍ଶନ ସମୟରେ ଆଇଜିପି ମନ୍ଦିର ପରିସର, ପ୍ରବେଶ ଓ ପ୍ରସ୍ଥାନ ପଥ, ଦର୍ଶନ ପାଇଁ ଧାଡ଼ି ବ୍ୟବସ୍ଥା, ପାର୍କିଂ ସ୍ଥଳ, ଟ୍ରାଫିକ୍ ନିୟନ୍ତ୍ରଣ, ପୋଲିସ ମୁତୟନ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାର ତଦାରଖ କରିଥିଲେ। ସେ ଉପସ୍ଥିତ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରି ଭକ୍ତମାନଙ୍କ ପାଇଁ ସୁରକ୍ଷିତ, ଶୃଙ୍ଖଳିତ ଓ ନିର୍ବିଘ୍ନ ଦର୍ଶନ ସୁନିଶ୍ଚିତ କରିବାକୁ ଆବଶ୍ୟକ ଦିଗନିର୍ଦ୍ଦେଶ ଦେଇଥିଲେ।

ଡଃ ନାଏକ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବଦା ସତର୍କ, ଜନବନ୍ଧବ ଏବଂ ଦାୟିତ୍ୱବାନ ଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ଅନ୍ୟାନ୍ୟ ସମ୍ପୃକ୍ତ ସଂସ୍ଥାମାନଙ୍କ ସହ ସମନ୍ୱୟ ରକ୍ଷା କରି ଭକ୍ତଙ୍କ ସୁବିଧା ଏବଂ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଭକ୍ତଙ୍କ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ବଳ ମୁତୟନ କରାଯାଇଥିବା ବେଳେ ଜଣେ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟର ଏବଂ ପ୍ରାୟ ୬୦ ଜଣ ଏସ୍‌ଆଇ/ଏଏସ୍‌ଆଇଙ୍କ ନେତୃତ୍ୱରେ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଟ୍ରାଫିକ୍ ପରିଚାଳନା, ପାର୍କିଂ ବ୍ୟବସ୍ଥା, ପଦଯାତ୍ରୀଙ୍କ ସୁରକ୍ଷା, ଜରୁରୀକାଳୀନ ସେବା, ସୁରକ୍ଷା ଯାଞ୍ଚ ଓ ଯେକୌଣସି ଅପ୍ରୀତିକର ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ସୁଗମ ଯାତାୟାତ ପାଇଁ ମଧ୍ୟ ସ୍ୱତନ୍ତ୍ର ପୋଲିସ ଦଳ ନିୟୋଜିତ ହୋଇଛନ୍ତି।

ଆଇଜିପି ଡଃ ସତ୍ୟଜିତ ନାଏକ ସମସ୍ତ ଭକ୍ତଙ୍କୁ ପୋଲିସ ଓ ପ୍ରଶାସନ ସହ ସହଯୋଗ କରିବା, ଟ୍ରାଫିକ୍ ପରାମର୍ଶ ମାନିବା, ଧାଡ଼ି ବ୍ୟବସ୍ଥା ପାଳନ କରିବା ଏବଂ ନିୟୋଜିତ ପୋଲିସ କର୍ମଚାରୀଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ଅନୁରୋଧ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ଆଇଜିପି ଡଃ ସତ୍ୟଜିତ ନାଏକ ଅଲାରନାଥ ମନ୍ଦିର ପରିଦର୍ଶନ କରି ସେଠାର ସୁରକ୍ଷା ବ୍ୟବସ୍ଥା, ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ସାମଗ୍ରିକ ବ୍ୟବସ୍ଥାପନାର ତଦାରଖ କରିଥିଲେ। ଏଥିସହିତ ଶ୍ରୀ ମାନସ ରଞ୍ଜନ ବାରିକ, ବ୍ରହ୍ମଗିରି ଥାନା ଅଧିକାରୀ ଶ୍ରୀ ବାମଦେବ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ନିୟୋଜିତ ପୁଲିସ କର୍ମଚାରୀ, ସେବାୟତ ଏବଂ ସ୍ଥାନୀୟ ପ୍ରଶାସନ ଓ ଭକ୍ତଙ୍କ ସହ ଆଲୋଚନା କରି ଭକ୍ତମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଦର୍ଶନ ପ୍ରଦାନ ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଭକ୍ତମାନଙ୍କ ପାଇଁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *