ଖୁବ୍ ଶୀଘ୍ର ନୂଆ ଚଳଚ୍ଚିତ୍ର ନୀତି ଆସିବ – ମୁଖ୍ୟମନ୍ତ୍ରୀ

ସିନେମା କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଏହା ହେଉଛି ଗୋଟିଏ ଜାତିର ସ୍ମୃତି, ସଂସ୍କୃତି, ଭାବନା ଓ ଆତ୍ମାର ଏକ ପ୍ରକୃତ ପ୍ରତିଛବି। ଯେଉଁ ସମାଜ ମହାନ ସିନେମା ନିର୍ମାଣ କରେ, ସେ ବିଶ୍ୱ ଦରବାରରେ ନିଜର ଅସ୍ତିତ୍ୱକୁ ସୁଦୃଢ଼ କରିପାରେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତି ତଥା କଳାକାରମାନଙ୍କ ସହ ଓଡ଼ିଆ ସିନେମାର ବର୍ତ୍ତମାନର ସ୍ଥିତି ଓ ଭବିଷ୍ୟତ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅବସରରେ କହିଛନ୍ତି।

ଓଡ଼ିଆ ଅସ୍ମିତାର ସରକାରରେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଏବଂ ଏହାର ଉନ୍ନତି ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଖୁବ୍‌ ଶୀଘ୍ର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ ହେବ। ଓଡ଼ିଆ ଜନଜୀବନ ସହିତ ଯୋଡ଼ି ହୋଇଥିବା ମୌଳିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରସ୍ତୁତ କଲେ, ଲୋକଙ୍କ ମନକୁ ଆକର୍ଷିତ କରିପାରିବ। ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ ଅର୍ଥ କେବେ ହେଲେ ବାଧକ ହେବ ନାହିଁ ଏବଂ ଖୁବ୍ ଶୀଘ୍ର ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର, ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *