ବିଶ୍ଵ ପରିବେଶ ଦିବସ ପାଳିତ

ବାଲିଅନ୍ତା, ୫ ଜୁନ: ବିଶ୍ୱ ପରିବେଶ ଦିବସ ୨୦୨୬ ଅବସରରେ ଶୈଳବାଳା ଫାଉଣ୍ଡେସନ, ବିକଳ୍ପ ଅନୁଷ୍ଠାନ , ବିନୋବା ସେବା ପ୍ରତିଷ୍ଠାନ, ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ସମ୍ଭବ ପାଠାଗାରର ମିଳିତ ସହଯୋଗରେ ଏକ ବ୍ୟାପକ ପରିବେଶ ସଚେତନତା କାର୍ଯ୍ୟକ୍ରମ ହୀରାପୁର ଓ ଜସୁଆପୁର ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ହୀରାପୁର ଗ୍ରାମରୁ ଜସୁଆପୁର ଗ୍ରାମ ପର୍ଯ୍ୟନ୍ତ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା। ରାଲିରେ ଯୋଗଦେଇଥିବା କୁନି କୁନି ପିଲାମାନେ ଚଳିତ ବର୍ଷର ବିଷୟବସ୍ତୁ “ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ।

ବକ୍ତାମାନେ କହିଥିଲେ ଯେ, ବିଶ୍ୱବ୍ୟାପୀ ଜଳବାୟୁ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ଅତ୍ୟଧିକ ଖରା, ହିମବାହ ତରଳିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ବଢ଼ିଚାଲିଛି। ଏହା ମନୁଷ୍ୟ ଓ ଜୀବଜନ୍ତୁଙ୍କ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ତେଣୁ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରିବା ସମୟର ଆବଶ୍ୟକତା ବୋଲି ସେମାନେ ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ୨୦ରୁ ଅଧିକ ଶିଶୁ ବିଭିନ୍ନ ପରିବେଶ ଭିତ୍ତିକ ବେଶଭୂଷାରେ ସଜ୍ଜିତ ହୋଇ ପରିବେଶ ସୁରକ୍ଷା ସମ୍ପର୍କିତ ଆକର୍ଷଣୀୟ ଅଭିନୟ ପ୍ରଦର୍ଶନ କରିଥିଲେ। ସେମାନେ “ଗଛ ଲଗାଅ, ମାଟି ବଞ୍ଚାଅ”, “Save Water, Save Life”, “ଧରିତ୍ରୀ ହସିବ, ଦୁନିଆ ବଞ୍ଚିବ”, “ଧୂଆଁ ଛାଡ଼, ଜୀବନ ଗଢ଼” ଏବଂ “ଅଳିଆମୁକ୍ତ ଗାଁ, ସମୃଦ୍ଧ ଗାଁ” ପରି ସ୍ଲୋଗାନ ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଚାର କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ରବୀନ୍ଦ୍ର ନାୟକ, ଶ୍ରୀ ଦୀନବନ୍ଧୁ ଭୋଇ, ଶ୍ରୀ ନବଘନ ଦାସ, ଶ୍ରୀ ପ୍ରଦୀପ ପ୍ରଧାନ, ଶ୍ରୀମତୀ ବେବି ନାୟକ ଏବଂ ଶ୍ରୀମତୀ ମାମି ଘଡ଼ାଇ ଯୋଗଦେଇଥିଲେ। ବେବି ବବଲ୍ସ ପ୍ରି-ସ୍କୁଲର ଶିକ୍ଷକ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ।

ପରିବେଶ ସୁରକ୍ଷା ଏବଂ ସବୁଜ ପୃଥିବୀ ଗଠନ ପାଇଁ ଏଭଳି ସାମାଜିକ ପଦକ୍ଷେପ ଜନସାଧାରଣଙ୍କ ମଧ୍ୟରେ ସକାରାତ୍ମକ ସଚେତନତା ସୃଷ୍ଟି କରିବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *