ରଜର ରାଣୀ ହେଲେ ଅର୍ପିତା ନାୟକ
ବିଜେତାଙ୍କୁ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ
ଓଡ଼ିଶାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଅବସରରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗଡ଼କଣ୍ଟୁଣିଆ ସ୍ଥିତ ପବିତ୍ର ସୁଦର୍ଶନ ଦାରୁ ପୀଠ ନିକଟରେ ୫ମ ରଜ ମହୋତ୍ସବ ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ନାରୀ ଶକ୍ତିର ଉଦଯାପନ ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ବେଶ୍ ଜମିଥିଲା। ଏହି ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ସର୍ବାଧିକ ମାର୍କ ରଖିଥିବା ଅର୍ପିତା ନାୟକଙ୍କୁ ଚଳିତ ବର୍ଷର ‘ରଜ ରାଣୀ’ ଭାବେ ଘୋଷଣା କରାଯିବା ସହ ତାଙ୍କୁ ୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି।ଉଦଯାପନୀ ଦିବସରେ ସ୍ଥାନୀୟ ଅଞ୍ଚଳର କୁମାରୀମାନଙ୍କ ମଧ୍ୟରେ ନାଚ, ଗୀତ ଓ ମ୍ୟୁଜିକ ଚେୟାର ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟାରେ ଝିଅମାନେ ଉତ୍ସାହର ସହ ଭାଗ ନେଇ ନିଜର ଲୁକ୍କାୟିତ କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉଦଯାପନୀ ସଂଧ୍ୟାରେ ଅତିଥିମାନଙ୍କର ଭବ୍ୟ ସମାଗମ ଦେଖିବାକୁ ମିଳିଥିଲା। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢାଲି ଯୋଗଦେଇ ଆଧୁନିକ ସମାଜରେ ରଜ ପର୍ବର ସାମାଜିକ ଗୁରୁତ୍ୱ ଓ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଅମିତ୍ ମଲିକ, ସମାଜସେବୀ ସୁଚିସ୍ମିତା ପୃଷ୍ଟି,ଜୟଶ୍ରୀ ଧଳ, ସରୋଜ କୁମାର ରାଉତ, ଶିକ୍ଷାବିତ୍ ପ୍ରମୋଦ ପାଢ଼ୀ, ବରିଷ୍ଠ ବିଜେପି ନେତା ମାଗୁଣି ସେଠୀ, ସମାଜସେବୀ ଚକ୍ରଧର ନାୟକ, ପରିବେଶବିତ୍ ଲକ୍ଷ୍ମୀଧର ପ୍ରଧାନ, ରଞ୍ଜନ କୁମାର ମହାପାତ୍ର, କମଳାକାନ୍ତ ବେହେରା,ରବିନ୍ଦ୍ର ସାହୁ ଏବଂ ୱାର୍ଡ ସଭ୍ୟ ଅଭିମନ୍ୟୁ ଭୋଇ ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ଗ୍ରୀନ ଜୟଦେବ ଫାଉଣ୍ଡେସନର ଏହି ସାଂସ୍କୃତିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।
ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ସୁଦୂର ଜଗତସିଂପୁରରୁ ଆସିଥିବା ‘ଜ୍ଞାନଲକ୍ଷ୍ମୀ କଳା ପ୍ରତିଷ୍ଠାନ’ର କଳାକାରମାନେ ନିଜର ଚିତ୍ତାକର୍ଷକ ମାହାରୀ ନୃତ୍ୟ ପରିବେଷଣ କରି ଉପସ୍ଥିତ ସହସ୍ରାଧିକ ଦର୍ଶକଙ୍କୁ ବିଭୋର କରି ବାନ୍ଧି ରଖିବାରେ ସଫଳ ହୋଇଥିଲେ। ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଟ୍ରଷ୍ଟର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
