ଶାନ୍ତିସ୍ତୁପ ଖବର କାଗଜର ୫ମ ସ୍ବନକ୍ଷତ୍ର ଅନୁଷ୍ଠିତ

ଶାନ୍ତିସ୍ତୁପ ଖବର କାଗଜର ୫ମ ସ୍ବନକ୍ଷତ୍ର ଅନୁଷ୍ଠିତ

ମାସିକ ଓଡ଼ିଆ ଖବରକାଗଜ ‘ଶାନ୍ତିସୂପ’ର ପଞ୍ଚମ ସ୍ଵନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିସୂପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଶାନ୍ତିସୂପ ରାଜ୍ୟବାସୀଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ଏକ ସ୍ୱତନ୍ତ୍ର ପ୍ରଭାବ ବିସ୍ତାର କରିପାରିଛି। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢାଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବାଦପତ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର, ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ,  ପ୍ରକାଶକ ତଥା ଉଦ୍ୟୋଗପତି ଅମିତ ମଲ୍ଲିକ, ସଂସ୍କୃତି ଗବେଷକ ଭାଗ୍ୟଲିପି ମଲ୍ଲ, ବିଶିଷ୍ଟ ସଂଳାପକାର ତଥା ଶିକ୍ଷାବିତ୍ ଡ. ରଜନୀ ରଞ୍ଜନ ଦାଶ ଏବଂ ସମାଜସେବୀ ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆର ପ୍ରଭାବ ସତ୍ତ୍ୱେ ଖବରକାଗଜର ବିଶ୍ୱସନୀୟତା ଓ ଭୂମିକା ଅପରିହାର୍ଯ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସମ୍ପାଦକ ଶ୍ରୀ ମହାପାତ୍ର କହିଥିଲେ ଯେ, ସମାଜର ଅବହେଳିତ ଓ ନିଷ୍ପେସିତ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ‘ଶାନ୍ତିସୂପ’ ସର୍ବଦା ଚେଷ୍ଟା ଜାରି ରଖିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୨ ଜଣ ପ୍ରତିଭାଧାରୀ ମହିଳାଙ୍କୁ ‘ଶାନ୍ତିସୂପ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ପତ୍ରିକାର ମେ’ ମାସ ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଉତ୍ସବର ଦ୍ୱିତୀୟ ଅଧିବେଶନରେ ‘ଚଉଷଠି ଯୋଗିନୀ: ପ୍ରାଚୀନ ଓଡ଼ିଶାରେ ନାରୀ ଶକ୍ତିର ଆରାଧନା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଲେଖିକା ଶୁତକ୍ରୀତ୍ତୀ ତ୍ରିପାଠୀ, ଓଡ଼ିଶୀ ନୃତ୍ୟାଙ୍ଗନା ପ୍ରତିଭା ପଣ୍ଡା, ମାର୍କଫେଡ୍ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା,  ଏବଂ ଉମାଦେଇ ବ୍ରହ୍ମପୁର ସରପଞ୍ଚ ରମାଲତା ନାୟକ ପ୍ରମୁଖ ଯୋଗଦେଇ ନାରୀଶକ୍ତିର ବିବିଧ ଦିଗ ଉପରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହ-ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଗୋପାଳ ବେହେରା, ମୃତ୍ୟୁଞ୍ଜୟ ମହାନ୍ତି ଏବଂ ତପନ କୁମାର ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *