ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ୨୦୨୬ ର ଫଳାଫଳ ପ୍ରକାଶ ପାଇଛି। ହାଇସ୍କୁଲ ସାର୍ଟିଫିକେଟ ୨୦୨୬ ପାଇଁ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୪୪ ହଜାର ୬୭୦। ସେଥିରୁ ୫ ଲକ୍ଷ ୩୬ ହଜାର ୩୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନୁପସ୍ଥିତ ଥିଲେ ୮ ହଜାର ୩୬୪ ଜଣ।
ଆମେ ଯଦି ଫଳାଫଳ ଉପରେ ନଜର ପକାଇବା ତେବେ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୫ ଲକ୍ଷ ୧୯ ହଜାର ୨୫୧ ଥିବାବେଳେ ପାସ ପ୍ରତିଶତ ୯୫.୩୩ ରହିଛି। ଏମାନଙ୍କ ମଧ୍ୟରେ A1 ଶ୍ରେଣୀରେ ୨୪୫୬ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ A2 ରେ ୧୫ ହଜାର ୬୮୧, B1 ରେ ୪୩ ହଜାର ୫୬୫ ଏବଂ B2 ରେ ୮୬ ହଜାର ୧୦୩ ଜଣ ଛାତ୍ର ଛାତ୍ରୀ ପାସ୍ କରିଛନ୍ତି। ସେହିପରି C ଶ୍ରେଣୀ ରେ ୧,୨୯,୮୧୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ D ଶ୍ରେଣୀରେ ୧,୪୬,୧୫୨ ଏବଂ E ଶ୍ରେଣୀରେ ୯୫,୪୮୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୩ ହଜାର ୩୧୦ ବିଦ୍ୟାଳୟ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି।
ସେହିପରି ମଧ୍ୟମା ପରୀକ୍ଷା ୨୦୨୬ରେ ୩ ହଜାର ୩୫୮ ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିବ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨,୯୮୨ । ଅନୁପସ୍ଥିତ ଥିଲେ ୩୭୬ ଜଣ ଛାତ୍ର ଛାତ୍ରୀ। ଉତ୍ତୀର୍ଣ୍ଣ ସଂଖ୍ୟା ଦେଖିଲେ ୨,୯୩୧ ଜଣ ଛାତ୍ର ଛାତ୍ରୀ ପାସ୍ କରିଛନ୍ତି, ଯାହାର ପ୍ରତିଶତ ରହିଛି ୮୭.୩ ।
ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୨୦୨୬ର ଫଳାଫଳରେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୨ ହଜାର ୩୭୮ ଥିଲା କିନ୍ତୁ ସେମାନଙ୍କ ମଧ୍ୟରେ ୧୦ ହଜାର ୦୪୩ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ, ଅନୁପସ୍ଥିତ ଥିଲେ ୨ ହଜାର ୩୩୫ । ଉତ୍ତୀର୍ଣ୍ଣ ସଂଖ୍ୟା ଦେଖିଲେ ୭ ହଜାର ୪୦୫ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ଯାହାର ପ୍ରତିଶତ ହେଉଛି ୫୯.୮୨ । ୨୦୨୬ ଦଶମ ପରୀକ୍ଷାରେ ଗଜପତି ଜିଲ୍ଲା ୯୯.୩୧ ପ୍ରତିଶତ ରେଜଲ୍ଟ କରି ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ୯୪.୩୫ ପ୍ରତିଶତ ରେଜଲ୍ଟ କରି ରାଜ୍ୟର ଶେଷ ସ୍ଥାନରେ ରହିଛି କେନ୍ଦୁଝର ଜିଲ୍ଲା। ପରୀକ୍ଷାରେ ସଫଳତା ପାଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି ବୋଲି ମତ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
