ଯଶୁଆପୁର ପ୍ରବେଶ ଦ୍ୱାରରେ ଐତିହ୍ୟ ତୋରଣ ନିର୍ମାଣ ପାଇଁ ଦାବି

ଯଶୁଆପୁର ପ୍ରବେଶ ଦ୍ୱାରରେ ଐତିହ୍ୟ ତୋରଣ ନିର୍ମାଣ ପାଇଁ ଦାବି

ଭୁବନେଶ୍ୱର: ଯଶୁଆପୁର ଗ୍ରାମର ପ୍ରବେଶ ଦ୍ୱାରରେ ଏକ ଐତିହ୍ୟ ତୋରଣ ନିର୍ମାଣ ପାଇଁ ଦାବି ହୋଇଛି। ଏନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସମିତି ସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଗ୍ରାମ ନିଜର ଐତିହ୍ୟ, ସାମାଜିକ ଓ ସାଂସ୍କୃତିକ ପରିଚୟ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଗ୍ରାମର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଗ୍ରାମର ଯୁବକମାନେ ଏକତ୍ରିତ ହୋଇ ୨୦୧୬ ମସିହାରେ “ଯଶୁଆପୁର ବିକାଶ ପରିଷଦ” ନାମକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗଠନ କରିଥିଲେ।

ଏହି ଅନୁଷ୍ଠାନ ପକ୍ଷରୁ ୨୦୧୬ ମସିହାରୁ ନିରବଚ୍ଛିନ୍ନ ଭାବେ “ଯଶୁଆପୁର ମହୋତ୍ସବ” ଆୟୋଜିତ ହୋଇଆସୁଛି। ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସାହିତ୍ୟ, କଳା, ସଂସ୍କୃତି, ଲୋକପରମ୍ପରା ଓ ଲୋକକଳାକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଏବଂ ଭାଇଚାରା ଓ ସାମାଜିକ ଏକତାକୁ ସୁଦୃଢ଼ କରିବା।

ଗତ ୯ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକକଳା ଓ ଲୋକନୃତ୍ୟ ସହିତ ଗୋଟିପୁଅ, ସମ୍ବଲପୁରୀ, ଛଉ ନୃତ୍ୟ ଏବଂ ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦେଇ ଆସୁଛନ୍ତି। ଏଥିସହିତ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ “ଯଶୁଆପୁର ସମ୍ମାନ” ପ୍ରଦାନ କରାଯାଇଥାଏ।

ଯଶୁଆପୁର ମହୋତ୍ସବରେ ଓଡ଼ିଶାର ବିଭିନ୍ନ ମାନ୍ୟବର ମନ୍ତ୍ରୀ, ସାଂସଦ, ଶିକ୍ଷାବିତ୍, ସାହିତ୍ୟିକ, କଳାକାର ଓ ସମାଜସେବୀମାନେ ଯୋଗଦେଇ ଆସୁଛନ୍ତି। ଫଳରେ ଯଶୁଆପୁର ଗ୍ରାମର ଐତିହ୍ୟ ଓ ସାଂସ୍କୃତିକ ପରିଚୟ ରାଜ୍ୟସ୍ତରରେ ପ୍ରଚାର ଓ ପ୍ରସାର ଲାଭ କରିଛି।

ଏହା ଯଶୁଆପୁରବାସୀଙ୍କ ପାଇଁ ଗୌରବର ବିଷୟ ଯେ, ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଯଶୁଆପୁର ମହୋତ୍ସବକୁ ନେଇ ଦୁଇଥର ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରାଯାଇଛି। ଏହା ଯଶୁଆପୁରର ସାଂସ୍କୃତିକ ଓ ଐତିହ୍ୟ ପରିଚୟର ଏକ ବିଶେଷ ସ୍ୱୀକୃତି ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ଏପରି ପରିପ୍ରେକ୍ଷୀରେ ଯଶୁଆପୁର ଗ୍ରାମର ପ୍ରବେଶ ଦ୍ୱାରରେ ଏକ ସୁନ୍ଦର ଓ ଆକର୍ଷଣୀୟ ଐତିହ୍ୟ ତୋରଣ ନିର୍ମାଣ କରାଗଲେ ଏହା ଗ୍ରାମର ଐତିହ୍ୟ, କଳା, ସଂସ୍କୃତି ଓ ଯଶୁଆପୁର ମହୋତ୍ସବର ଏକ ସ୍ଥାୟୀ ପ୍ରତୀକ ଭାବେ ପରିଚିତ ହେବ। ଏଥିସହିତ ଏହା ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ଗୌରବମୟ ପରିଚୟ ସୃଷ୍ଟି କରିବା ସହିତ ଅଞ୍ଚଳର ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ଆକର୍ଷଣକୁ ମଧ୍ୟ ବୃଦ୍ଧି କରିବ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଦାବିଟିକୁ ସହୃଦୟତାର ସହ ଗ୍ରହଣ କରି ଏହାର ଆବଶ୍ୟକୀୟ ପଦକ୍ଷେପ ନେବା ନେଇ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *