ସ୍ବେଛାସେବୀ ସଂଗଠନ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା

ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରଚଣ୍ଡ ରୌଦ୍ରତାପରେ କେବଳ ମଣିଷ ନୁହେଁ, ବରଂ ବୁଲା ପଶୁ ଓ ଆକାଶର ପକ୍ଷୀମାନେ ମଧ୍ୟ ଆଉଟୁପାଉଟୁ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅସହାୟ ବୁଲା ଗୋରୁ ଓ ପଶୁପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ଦୁଇ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘କାଞ୍ଚନ ଫାଉଣ୍ଡେସନ’ ଓ ‘ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ’। ଉଭୟ ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ଦାରୁ ପୀଠ, ପ୍ରତାପ ଶାସନ, ପୁରୋହିତପୁର ,ଜଶୁଆପୁର ଆଦି ଅଂଚଳର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ୨୦ଟି ପାଣିକୁଣ୍ଡର ବ୍ୟବସ୍ଥା କରାଯାଇଛି। ଖରା ସମୟରେ ପାଣି ମୁନ୍ଦାଏ ପାଇଁ ଏପଟ ସେପଟ ହେଉଥିବା ଗୋରୁଗାଈ ଓ ପକ୍ଷୀମାନେ ଏହି କୁଣ୍ଡ ମାଧ୍ୟମରେ ନିଜର ଶୋଷ ମେଣ୍ଟାଇ ପାରିବେ।ଯୁବ ସମାଜସେବୀ ରଞ୍ଜନ ମହାପାତ୍ର , ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ଯୁବ ସମାଜସେବୀ ପ୍ରଦୀପ୍ତ ମହାନ୍ତି , ପ୍ରଦୀପ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନିରଞ୍ଜନ ସେନାପତି, ବଟକୃଷ୍ଣ ମହାପାତ୍ର, ଭଗବାନ ନାୟକ, ମାର୍ଶଲ ଆର୍ଟ ପ୍ରଶିକ୍ଷକ ଉମାକାନ୍ତ ବେହେରା, ଯୁବ ସ୍ଵେଚ୍ଛାସବୀ ଶ୍ରୀକୁମାର ଅଭିଷେକ ଭୋଇ, କାଳନ୍ଦୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଏହି କୁଣ୍ଡଗୁଡିକୁ ବିଭିନ୍ନ ଛକ ଓ ଗଛମୂଳେ ସ୍ଥାପନ କରିବା ସହ ଏଥିରେ ନିୟମିତ ପାଣି ଭରିବା ପାଇଁ ସଂକଳ୍ପ ନେଇଛନ୍ତି। ଅନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ପାଣି ଅଭାବରୁ ଅନେକ ସମୟରେ ପଶୁପକ୍ଷୀମାନେ ମୃତ୍ୟୁମୁଖରେ ପଡ଼ିଥାନ୍ତି। ସେମାନଙ୍କ ଜୀବନ ରକ୍ଷା କରିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ। ଏହି ଛୋଟ ପ୍ରୟାସ ଦ୍ୱାରା ଯଦି କିଛି ନିରୀହ ପଶୁଙ୍କ ଶୋଷ ମେଣ୍ଟିପାରେ, ତେବେ ଆମର ପରିଶ୍ରମ ସାର୍ଥକ ହେବ।”ଏହି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି। ଏଥିସହିତ ଅନ୍ୟମାନେ ମଧ୍ୟ ନିଜ ନିଜ ଛାତ ଉପରେ କିମ୍ବା ଘର ସାମ୍ନାରେ ପକ୍ଷୀମାନଙ୍କ ପାଇଁ ପାଣି ରଖିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *